26 जून 2015

ଘଟ ବିଭ୍ରାଟ ଓ ଓଡ଼ିଶା ବଂଦ୍‌

ଭୁବନେଶ୍ଵର, ୨୬ ଜୁନ୍‌ ୨୦୧୫: ୨୦୧୫ ମସିହାରେ ବଡ଼ଦେଉଳରେ ଚାରିମୂର୍ତିଙ୍କର ନବକଳେବରକୁ ନେଇ ବିଭ୍ରାଟ ଦେଖା ଦେବା ପରେ କଂଗ୍ରେସ ଡାକରାରେ ଆଜି ଅଭୂତପୂର୍ବ ଭାବେ ବନ୍ଦପାଳନକୁ ସଫଳତା ମିଳିଛି।  ଅବଶ୍ୟ ଏଥିରୁ କଂଗ୍ରେସକୁ କିଛି ମାତ୍ରାରେ ଫାଇଦା ମିଳିବ। ହେଲେ ନବକଳେବର ଘଟ ପରିବର୍ତନ ବିଭ୍ରାଟକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଉପୁଜିଥିବା ଅସନ୍ତୋଷ କାରଣରୁ ଏପରି ହୋଇଛି। ଆଜି ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକ ବିଶେଷ ଭାବେ ବିଭିନ୍ନ ଦୃଶ୍ୟ ଦେଖାଇବା ସହ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିଛନ୍ତି। ହେଲେ, ବଂଦ୍‌ ପାଳନକୁ ନେଇ ଘଟିଥିବା ହିଂସାରେ  ଧନଜୀବନର ଯେଉଁ କ୍ଷତି ହୋଇଛି, ତାହା ଉପରେ ଯଥେଷ୍ଟ ଚର୍ଚା ହୋଇ ନାହିଁ। ଯେଉଁ ଗାଡ଼ିମଟର ସବୁ ଭାଙ୍ଗିଛି ବା ପୋଡ଼ିଛି, ସେଗୁଡ଼ିକୁ ବୀମାରାଶି ମିଳିବ ନାହିଁ। କାରଣ ସାଧାରଣ ବୀମା କମ୍ପାନୀମାନେ ସ୍ପଷ୍ଟ କରି ଦେଇଛନ୍ତି ଯେ ଘୋଷିତ ବଂଦ୍‌ ପାଳନ ବେଳେ କ୍ଷୟକ୍ଷତି ହେଲେ ବୀମା କମ୍ପାନୀ ଦାୟୀ ରହିବ ନାହିଁ। ଏହା ଆଇନସମ୍ମତ କି ନାହିଁ, ତାହା ଉପରେ ତର୍ଜମା ହେବା ଦରକାର।

ସବୁଠୁ ବଡ଼ କଥା ହେଉଛି, କଂଗ୍ରେସ ପାର୍ଟି ଓଡ଼ିଶାରେ ଲୋପପାଇଯିବ ବୋଲି ଯାହା ଆଶଙ୍କା କରାଯାଉଥିଲା, ତାହା ଆଜି ଭୁଲ୍‌ ପ୍ରମାଣିତ ହୋଇଛି। ଶାସକ ବିଜୁ ଜନତା ଦଳର ଚତୁର୍ଥ ଇନିଂସ୍‌ ବେଳକୁ ଅନେକ ମାର୍କାମରା କଂଗ୍ରେସ କର୍ମୀ ଘଟପରିବର୍ତନ କରି ବି.ଜ.ଦ.ମୁହାଁ ହେଉଥିବା ବେଳେ ଆଜି ତାହାର ଓଲଟା ଫଳ ଦେଖିବାକୁ ମିଳିଛି। ରାଜ୍ୟବାସୀଙ୍କ ଭାବପ୍ରବଣତାକୁ ଗୋଟାଇବାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ବେଶ୍‌ ସଫଳ ହୋଇଛି। ହେଲେ ଏହାକୁ ନିର୍ବାଚନୀ ଫାଇଦା ବନାଇବାରେ କଂଗ୍ରେସର ରଣନୀତି କ’ଣ ହେବ, ତାହା ଦେଖିବାର ଅଛି। ତେବେ ଏଥିରେ ଭାରତୀୟ ଜନତା ପାର୍ଟି ପଛରେ ପଡ଼ିଯାଇଛି। ଏଥର ମିଡ଼ିଆବାଲା ପୁଣି ଆକ୍ଷେପ କରିବେ ଯେ ଶାସକ ଦଳ ସହିତ ବୋଧେ କିଛି ସଲାସୁତରା ଅଛି। ଜୁନ୍‌ ୩୦ ତାରିଖରୁ ୬ ଦିନ ପର୍ଯ୍ୟନ୍ତ ଆନ୍ଦୋଳନର ଆଉ କିଛି ମୂଲ୍ୟ ନଥିବ। ସେତେ ବେଳକୁ ପୁଲିସ, ପ୍ରଶାସନ ସମେତ ମାଡ଼ ଖାଇଥିବା ସାଧାରଣ ନାଗରିକ ସଚେତନ ହୋଇଯାଇଥିବେ ଏବଂ କଂଗ୍ରେସ ଆହୂତ ବଂଦ୍‌ର ରାଗକୁ ଭା.ଜ.ପା. ଉପରେ ଶୁଝେଇ ଦେବେ।

ଦିବ୍ୟଦାରୁ ଚିହ୍ନଟ ବେଳର ଦୁର୍ନୀତି ଖବର କେତୋଟି ଗଣମାଧ୍ୟମ ବାରମ୍ବାର ପ୍ରକାଶ କରୁଥିଲେ। ପରେ ଦାରୁ ପୋଲା ବାହାରିବାରୁ ମଧ୍ୟ ରାଜ୍ୟବାସୀ ତାତିକି ଥିଲେ। ଏହା ସାଙ୍ଗକୁ ଘଟ ପରିବର୍ତନ ବିଭ୍ରାଟ ଖବରମାନ ଲୋକଙ୍କ କ୍ରୋଧକୁ ଚରମସୀମାକୁ ନେଇଗଲା। ତେଣୁ ଏହି ବଂଦ୍‌କୁ ସମର୍ଥନ କରିଥିବା ବ୍ୟକ୍ତିମାନେ କଂଗ୍ରେସିଆ ନୁହନ୍ତି। କିନ୍ତୁ ଏହାକୁ କିଭଳି ବି.ଜ.ଦ. ବିରୋଧୀ ଜନମତରେ ରୂପାନ୍ତରିତ କରାଯାଇପାରିବ, ତାହା ଉପରେ ଧମାଧମ୍‌ କାର୍ଯ୍ୟ ହେବା ଦରକାର।

ଓଡ଼ିଶାର ସବୁ ଗଣମାଧ୍ୟମ ଏଥର ଲୋକଙ୍କ ପକ୍ଷ ନେଇକି ସେବାୟତମାନଙ୍କ ବିବୃତିକୁ ନିନ୍ଦା କରିବାରେ ଲାଗିଛନ୍ତି। ଏହି ଭୁଲ୍‌ କ୍ଷମଣୀୟ ନୁହେଁ ବୋଲି ସାବ୍ୟସ୍ତ କରାଯିବା ପରେ ମଧ୍ୟ ‘‘ଭୁଲି ଯାଆନ୍ତୁ’’ ବୋଲି ସେବାୟତଙ୍କ ବିବୃତିକୁ ପ୍ରାୟ ସବୁ ସମ୍ବାଦପତ୍ର ନାପସନ୍ଦ କରିଛନ୍ତି। ଯଦିଓ ଶାସକଦଳ କେବେ ବି ଗଣମାଧ୍ୟମର କଣ୍ଠରୋଧ କରିବାକୁ ପ୍ରୟାସ କରି ନାହିଁ, ତଥାପି ଗଣମାଧ୍ୟମ ଏଥର ଶାସକଙ୍କ ଉପରେ ଭାରୀ ପଡ଼ିଥିବା ଜଳଜଳ ଦେଖାଯାଉଛି।

ଶ୍ରୀମନ୍ଦିର ପରିସରରେ ସେବାୟତମାନଙ୍କ ଔଦ୍ଧତ୍ୟ ଓ ଶୋଷଣ ଉପରେ ଗତ ୧୦ ବର୍ଷ ଧରି ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ରହିଥିବା କ୍ରୋଧର ମଧ୍ୟ ହିସାବକିତାବ ଏହି ରଥଯାତ୍ରା ପୂର୍ବରୁ ହେବା ଦରକାର। ଆଜିର ସବୁଠୁ ଦୁଃଖଦ କଥା ହେଉଛି ଯେ ପର୍ଯ୍ୟଟକମାନେ ମଧ୍ୟ ଏହି ବଂଦ ଦ୍ଵାରା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି। ସେବାୟତମାନଙ୍କ  ପଶୁବତ୍‌ ଆଚରଣ (ମୁଥ ମାରି ମୁହଁ ଫଟେଇବା) ବଢୁଥିବା ବେଳେ କେରଳ, ତାମିଲନାଡୁ ରାଜ୍ୟରୁ ଭକ୍ତମାନେ  ଆସିବା ପ୍ରାୟତଃ ବନ୍ଦ କରି ଦେଲେଣି। କର୍ଣାଟକ, ଆନ୍ଧ୍ରପ୍ରଦେଶ, ପଂଜାବ, ହରୟାଣା, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ ଓ ରାଜସ୍ଥାନର ଭକ୍ତମାନଙ୍କ ସଂଖ୍ୟା ବିପୁଳ ମାତ୍ରାରେ କମିଗଲାଣି। କେବଳ ପଶ୍ଚିମବଂଗ, ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର ଓ ମହାରାଷ୍ଟ୍ରର ଭକ୍ତମାନଙ୍କୁ ନେଇ ଚାଲିଛି ଶ୍ରୀମନ୍ଦିର। ତାହା ପୁଣି ଟୁର୍‌ ଅପରେଟରମାନଙ୍କ ଉଦ୍ୟମ ତଥା ଇସ୍କନ୍‌ ତୀର୍ଥଯାତ୍ରା ସଂଗଠନର କାର୍ଯ୍ୟକ୍ରମ ଯୋଗୁ ସମ୍ଭବ ହେଉଛି। ସେବାୟତ ପରିବାରର ଅବିବାହିତ ଭେଣ୍ଡାମାନେ ସେବାୟତ ବେଶରେ ଦାଦାଗିରି ବନ୍ଦ ନକଲେ ସବୁ ଲଜ୍ଜା ଓଡ଼ିଶାବାସୀଙ୍କୁ ମୁଣ୍ଡାଇବାକୁ ପଡ଼ିବ।

ବିଶେଷଜ୍ଞଙ୍କ ମତରେ ତୀର୍ଥଯାତ୍ରୀ ତଥା ଭକ୍ତମାନଙ୍କ ସାମଗ୍ରୀର ସୁରକ୍ଷା ଆଉ ଘରୋଇ ସଂସ୍ଥା ଉପରେ ଛାଡ଼ି ନଦେଇ ତାହାକୁ ମନ୍ଦିର ପ୍ରଶାସନ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁ। ବୋମା ଓ ମାରଣାସ୍ତ୍ର ଯାଞ୍ଚ ପରେ ମୋବାଇଲ୍‌ଫୋନ୍‌ ଓ ଟଙ୍କା ସମେତ ସମସ୍ତ ସାମଗ୍ରୀ ଲକରରେ ରଖିବାର ବ୍ୟବସ୍ଥା ହେଉ। ଭକ୍ତମାନେ ଲକର ଚାବି ସହ ବିନା ଟଙ୍କାରେ ମନ୍ଦିର ପରିସରକୁ ଗଲେ ଗୁଣ୍ଡାଗର୍ଦିର ଠିପି ବଂଦ ହୋଇଯିବ। ତେବେ ସିଂହଦ୍ଵାର ବାହାରେ ଦର୍ଶନ ଓ ଭୋଗ ଇତ୍ୟାଦି ପାଇଁ ଆଗୁଆ ଟିକେଟ କାଟିବାର ବ୍ୟବସ୍ଥା ହେବା ଦରକାର

ଜୟ ଜଗନ୍ନାଥ।

bimal.odisha@yahoo.in

कोई टिप्पणी नहीं:

एक टिप्पणी भेजें