21 जुलाई 2016

ଫୋପାଡ଼ନ୍ତୁ ବିକୃତ ‘ତରୁଣ ଶବ୍ଦକୋଷ’

ଅଭିଧାନ ସଂକଳନ କରି କିପରି ଭାଷାକୁ ବିକୃତ କରାଯାଏ, ତାହାର ନଗ୍ନ ନମୁନା ହେଉଛି, ପ୍ରଚଳିତ ତରୁଣ ଶବ୍ଦକୋଷଏଥିରେ ‘ଦୂତୀ’କୁ ‘ଦୂତି’(ପୃଷ୍ଠା ୨୯୦) ଲେଖାଯାଇଛି। ସାଧାରଣତଃ ‘ଦୂତ’ଶବ୍ଦର ସ୍ତ୍ରୀଲିଙ୍ଗ ହେଉଥିବାରୁ ‘ଦୂତୀ’ ହେବ। ତେବେ ‘ଦୂତିକା’ହେଲେ ମଝି ଅକ୍ଷର ‘ତ’ର  ଈ’କାର ଉଚ୍ଚାରଣ ହୋଇ ନପାରିବା କାରଣରୁ ‘ଦୂତିକା’ ହୁଏ; ଠିକ୍ ଯେମିତି ଶଶିରେଖା, ଶଶିକଳା, ଶଶିବାଳା, ଶଶିପ୍ରଭା ଭଳି। ଅଥଚ ମୂଳ ଶବ୍ଦ ହେଉଛି ଶଶୀ।

ଏହି ଶବ୍ଦକୋଷରେ ଥିବା ଅନ୍ୟ କିଛି ତ୍ରୁଟି ହେଲା :- ନେଡ଼ି, ନାଗୁଆ ଶବ୍ଦ ଏଥିରେ ନାହିଁ। ବରଂ ସେଇ ଦୁଇଟି ଶବ୍ଦକୁ ଯଥାକ୍ରମେ ‘ଲେଡ଼ି’(ପୃଷ୍ଠା ୭୪୬) ଓ ‘ଲାଗୁଆ’(ପୃଷ୍ଠା ୭୩୮) ବୋଲି ଲେଖା ଅଛି। ଅର୍ଥାତ୍ ଯଦି ଆପଣ ତରୁଣ ଶବ୍ଦକୋଷ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ସ୍ୱୀକାର କରିବାକୁ ପଡ଼ିବ ଯେ ‘‘ନେଡ଼ି ଗୁଡ଼ କହୁଣୀକୁ ବୋହି ଗଲାଣି’’ ଆପ୍ତ ବାକ୍ୟର ପ୍ରଥମ ଶବ୍ଦଟି ଭୁଲ୍। ସେହିଭଳି ନାଗୁଆ କ୍ଷୀରବାଲା ମଧ୍ୟ ଭୁଲ୍ ହେବ। କିନ୍ତୁ ଏହା ଶବ୍ଦକୋଷର ପରିବର୍ଧିତ ସଂସ୍କରଣ ଲେଖିଥିବା ବ୍ୟକ୍ତିମାନଙ୍କର ଭୁଲ ଅଟେ। କାରଣ ‘ତୋରାଣି’ ଶବ୍ଦକୁ ଏହି ବିବାଦୀୟ ଶବ୍ଦକୋଷରେ ମୂଳତଃ ‘ତୋଡ଼ାଣି’(ପୃଷ୍ଠା ୨୬୦) ବୋଲି ଲେଖାଯାଇଛି। ଅର୍ଥାତ‌୍ ‘ତୋରାଣି’ ଏକ ମୌଳିକ ଶବ୍ଦ ନୁହେଁ, ବରଂ ଏହା ‘ତୋଡ଼ାଣି’ରୁ ନିଷ୍ପନ୍ନ। ଆପଣ କ’ଣ ଏଥିରେ ରାଜି? ପୁଣି ଆହୁରି ଲେଖା ଅଛି ଚାଲାଖ, ଚାଲାଖି (ପୃଷ୍ଠା ୧୮୪) ଶବ୍ଦ। ମାନେ, ‘ଚାଲାକ’ ଓ ‘ଚାଲାକି’ ଭୁଲ୍। ପୁଣି ଲେଖା ଅଛି ‘ଚେଙ୍ଖ’ (ପୃଷ୍ଠା ୧୯୧), ମାନେ ‘ଚେଙ୍କ’ ଭୁଲ। ଏହି ଶବ୍ଦକୋଷକୁ ଅନୁସରଣ କରୁଥିବା କିଛି ଖବରକାଗଜ ସେଇଥିପାଇଁ ‘ଚେଙ୍ଖ’ ଶବ୍ଦ ଲେଖି ଚାଲିଛନ୍ତି। ଏଭଳି ବିଭ୍ରାଟକୁ ଆଜି ସୁଦ୍ଧା କିଭଳି ବରଦାସ୍ତ କରାଯାଉଛି, ତାହା ଅାଶ୍ଚର୍ଯ୍ୟ ଲାଗୁଛି।

‘ନ’କୁ ‘ଲ’; ‘ର’କୁ ‘ଡ଼’ ଓ ‘କ’କୁ ‘ଖ’ ରୂପେ ଉଚ୍ଚାରଣ କରି କେଉଁମାନେ ଭାଷାରେ ବିଭ୍ରାଟ କରି ଚାଲିଛନ୍ତି, ତାହା କେବଳ ସେହି ପୁସ୍ତକଟିର ପ୍ରକାଶନରେ ସଂପୃକ୍ତ ବ୍ୟକ୍ତିମାନଙ୍କ ନାମଗୁଡ଼ିକୁ ଥରଟେ ପଢ଼ିଦେଲେ ଜାଣିପାରିବେ। ଏହି ଲେଖାରେ ଆମ୍ଭେ କୌଣସି ଆକ୍ଷେପ ରଖିନାହୁଁ। ସେମାନେ ଓ ସେମାନଙ୍କ ସମର୍ଥକମାନେ ନିଜେ ସ୍ୱୀକାର କଲେ, ଓଡ଼ିଆ ଭାଷାକୁ ସୁରକ୍ଷିତ ଭାବରେ ଆହୁରି ଆଗକୁ ନେଇ ହେବ। କାରଣ ଓଡ଼ିଆ ପରା ଦେଶର ଷଷ୍ଠ ଶାସ୍ତ୍ରୀୟ ଭାଷା (Classical Language)

ତରୁଣ ଶବ୍ଦକୋଷ ପ୍ରଥମେ ପ୍ରକାଶ ପାଇଥିଲା ୧୯୬୬ ମସିହାରେ। ଏହାର ସଂକଳକ ହେଉଛନ୍ତି ପଣ୍ଡିତ କୃଷ୍ଣଚନ୍ଦ୍ର କର। ପରିବର୍ଧିତ ଦ୍ୱିତୀୟ ସଂସ୍କରଣ ବାହାରିଥିଲା ୧୯୮୫ ମସିହାରେ। ଏହି ପରିମାର୍ଜନାରେ ସହାୟକ ଥିଲେ ଶୈଳେନ୍ଦ୍ର ପ୍ରସାଦ କର। ୨୦୧୦ ମସିହାରେ କଂପ୍ୟୁଟର DTP ଅକ୍ଷରରେ ଅଫସେଟ୍ ମୁଦ୍ରଣ ଜରିଆରେ ଖ୍ୟାତନାମା ପ୍ରକାଶନ ସଂସ୍ଥା ‘ଗ୍ରନ୍ଥମନ୍ଦିର’ ବିନୋଦବିହାରୀ, କଟକ-୨ ଛାପିଥିବା ଏହି ‘‘ତରୁଣ ଶବ୍ଦକୋଷ’’ର ପ୍ରୁଫ୍ ସଂଶୋଧକଗଣ ଥିଲେ:- ତ୍ରିଲୋଚନ ଦ୍ୱିବେଦୀ, ସୁରେନ୍ଦ୍ରନାଥ ଆଚାର୍ଯ୍ୟ, ଅଭିରାମ ମହାପାତ୍ର। ୩୭୦ ଟଙ୍କା ଦାମ୍ ବିଶିଷ୍ଟ ଏହି ଶବ୍ଦକୋଷର ISBN 81-7403-017-4 ରହିଥିବା ବେଳେ ଏହାର ପ୍ରକାଶକ ଅଛନ୍ତି ମନୋଜ କୁମାର ମହାପାତ୍ର ଏବଂ ମୁଦ୍ରାକର ଅଛନ୍ତି ତପନ କୁମାର ମହାପାତ୍ର। ତାଙ୍କର ଛାପାଖାନାର ନାମ Optima Offset Prints, ସୂତାହାଟ, କଟକ-୧। ଦୟାକରି ଏହି ଶବ୍ଦକୋଷକୁ କିଣନ୍ତୁ ନାହିଁ, ଯେତେ ଦିନ ପର୍ଯ୍ୟନ୍ତ ଏହାର ସଂଶୋଧିତ ଶୁଦ୍ଧ ସଂସ୍କରଣ ନବାହାରିଛି।

ଏହି ଶବ୍ଦକୋଷରେ ଉପରୋକ୍ତ ଉଦାହରଣ ଭଳି ଶହଶହ ତ୍ରୁଟି ସ୍ଥାନ ପାଇଛି। ତେବେ ଏଭଳି ତ୍ରୁଟି ୧୯୬୬ ମସିହାରୁ ଥିଲା କି ପରବର୍ତୀ ପିଢ଼ି ଏଭଳି ମାଙ୍କଡ଼ାମି କରିଛନ୍ତି, ତାହା ପରଖିବାକୁ ଆମ୍ଭେ ପଣ୍ଡିତ ପ୍ରବରମାନଙ୍କୁ ନିବେଦନ କରୁଛୁ। ଓଡ଼ିଆ ଭାଷାର ଶହଶହ ଶବ୍ଦର ଅଲଗା ଉଚ୍ଚାରଣ ପଛରେ ଏକ ଅବାଞ୍ଛିତ ଜାତିଆଣ ଅଭିରୁଚି ରହି ଆସିଥିବା ବେଳେ ତାହା ଆମ ଓଡ଼ିଆ ଭାଷାର ମୌଳିକତାକୁ ନଷ୍ଟ ନକରୁ। ଆଉ ଆଦିକବି ସାରଳା ଦାସ, ସନ୍ଥକବି ଭୀମ ଭୋଇ, ମହାପୁରୁଷ ହାଡ଼ି ଦାସ - ଏମାନେ କେବେ ବି ଅପ୍ରାସଙ୍ଗିକ ନହୁଅନ୍ତୁ।

ବନ୍ଦେ ଉତ୍କଳ ଜନନୀ।

ବିମଳ ପ୍ରସାଦ, ଭୁବନେଶ୍ୱର