୨୪ ଜୁନ୍ ୨୦୧୬, ଶୁକ୍ରବାର ଥିଲା ଓଡ଼ିଶାର ବରଗଡ଼ ସହରରେ ଭାରତୀୟ ଜନତା ପାର୍ଟିର ବିକାଶ ଉତ୍ସବର ତିଥି। ସେଠାକୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଉପରେ ହୋଇଥିଲା ଅଭୂତପୂର୍ବ ଆକ୍ରମଣ। ଏହି ଆକ୍ରମଣର ନେତୃତ୍ୱ ନେଇଥିଲେ ବିଜୁ ଜନତା ଦଳର ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ତାଙ୍କ ଗୁଣ୍ଡାବାହିନୀ। ଘଟଣା ସଂକ୍ରାନ୍ତରେ ବିଭିନ୍ନ ଓଡ଼ିଆ ଚ୍ୟାନେଲରେ ଘନଘନ ପ୍ରଚାର ପରେ ଏହା ‘‘ବରଗଡ଼ ଲଜ୍ଜା’’ ରୂପେ ବିବେଚିତ ହେଲା। ଲୋକ ନିନ୍ଦାକୁ ଡରି ୧୬ ଜଣ ବିଜଦ କର୍ମୀଙ୍କୁ ଓଡ଼ିଶା ପୁଲିସ୍ ଗିରଫ କଲା। ହେଲେ ଏଥିରୁ ବଞ୍ଚାଇ ଦିଆଗଲା ନେତା ଦେବେଶ ଆଚାର୍ଯ୍ୟଙ୍କୁ। ମାତ୍ର ରାଜ୍ୟ ତଥା ଜାତୀୟ ଗଣମାଧ୍ୟମ, ଭାଜପାର କେନ୍ଦ୍ରୀୟ ଓ ପ୍ରାଦେଶିକ ନେତା ଗଣ, ମାନବାଧିକାର କର୍ମୀ ଓ ସଂଗଠନଗଣ ଏବଂ ସର୍ବୋପରି ଜନସାଧାରଣ ଯେଭଳି ଭାବରେ ନିନ୍ଦା କରି ଚାଲିଲେ, ସେଥିରୁ ମୁକୁଳିବାକୁ କିଛି ବାଟ ପାଇଲେ ନାହିଁ ଖୋଦ୍ ରାଜ୍ୟର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେଣୁ ୪ ଦିନ ପରେ ନିର୍ଦେଶ ଦେଲେ RDCଙ୍କ ଦ୍ୱାରା ପ୍ରାଶାସନିକ ତଦନ୍ତକରି ୬୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ। ହେଲେ ୩ ଦିନ ପରେ ବଦଳି କରିଦେଲେ ରାଜସ୍ୱ ମଣ୍ଡଳ ଆୟୁକ୍ତ ଥିବା IAS ଅଧିକାରୀ ନରେନ୍ଦ୍ର ବାହାଦୂର ସିଂହ ରାଜପୁତଙ୍କୁ ବନ୍ଦୋବସ୍ତ ଆୟୁକ୍ତ ଭାବରେ। ତାଙ୍କ ସ୍ଥାନରେ ଅବସ୍ଥାପିତ କଲେ IAS ଅଧିକାରୀ ଭାସ୍କରଜ୍ୟୋତି ଶର୍ମାଙ୍କୁ। ଏହା ଦ୍ୱାରା ନିନ୍ଦୁକମାନଙ୍କୁ ଅଧିକ ଖୋରାକ ମିଳିଲା ବି.ଜ.ଦ.ର ଅପକର୍ମ ଉପରେ ଚର୍ଚା କରିବାକୁ। ତେବେ ୮ ଜୁଲାଇ ୨୦୧୬, ଶୁକ୍ରବାର ସଂଧ୍ୟାରେ ମଜୁରି ନେଇ ଫେରୁଥିବା କିଛି ଶ୍ରମିକଙ୍କୁ ମାଓବାଦୀ ମଣି ସେମାନଙ୍କ ଉପରେ ଗୁଳିମାଡ଼ କଲା SOG ଓ CRPF ବାହିନୀ। ସେଇଠି ଟଳି ପଡ଼ିଲେ ୫ ଜଣ ଏବଂ ଗୁରୁତର ଆହତ ହେଲେ ୭ ଜଣ। ଏହି ମଣିଷମରା ଆକ୍ରମଣକୁ ଚାରିଆଡ଼ୁ ନିନ୍ଦା ହେଲା। ଅଘଟଣର ୪ ଦିନ ପରେ ରାଜ୍ୟ ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଘୋଷଣା କଲେ ବିଚାରବିଭାଗୀୟ ତଦନ୍ତ। କିନ୍ତୁ ‘‘ଲୁଚିଛି ନା ଗୋଡ଼ ଦିଟା ଦିଶୁଛି’’ ଭଳି ନିନ୍ଦା ଓ ଭର୍ତ୍ସନା ବନ୍ଦ ହେଲା ନାହିଁ ରାଜ୍ୟର ଶାସକ ଦଳ ଉପରେ।
ତେବେ ଏହି ଗୁମୁଡ଼ୁମାହା ଗଣହତ୍ୟା ପରେ ଯାହା ଯାହା ଆମ୍ଭେ ବେଲାଳସେନ ଭଳି ଦେଖିଲୁ, ସେୟା ଲେଖୁଛୁ:
୧. କେଉଁ ପରିପ୍ରେକ୍ଷୀରେ SOG ବାହିନୀ ଏଭଳି ମଣିଷମରା ଅଭିଯାନରେ ମାଅା କୋଳର ଶିଶୁଙ୍କୁ ବି ଛାଡ଼ିଲା ନାହିଁ, ତାହା ସାରା ବିଶ୍ୱକୁ ସ୍ତବ୍ଧ କରିଛି, କେବଳ ଓଡ଼ିଶାକୁ ନୁହେଁ। ସେଇ ଶିଶୁଟି ଦଳିତ୍ କ୍ରିଷ୍ଟିଆନ୍ ହୋଇଥିବାରୁ ଏହା ବିଶ୍ୱବ୍ୟାପୀ ହେବା ସହଜ ହୋଇଛି।
୨. ନିହତ ୫ ଜଣଙ୍କ ମଧ୍ୟରୁ ୨ଜଣ ଦଳିତ୍ କ୍ରିଷ୍ଟିଆନ୍ ହୋଇଥିବା ବେଳେ ଅନ୍ୟ ୩ ଜଣ କନ୍ଧ ଆଦିବାସୀ। କିନ୍ତୁ ଓଡ଼ିଶାର ଗଣମାଧ୍ୟମ ବେଶ୍ ଭାବପ୍ରବଣ ହୋଇ ୫ଜଣ ନିହତଙ୍କୁ ଆଦିବାସୀ ବୋଲି ଲେଖୁଛି/କହୁଛି। ନିହତ ଶ୍ରମଜୀବୀମାନେ ହେଲେ: ୧. ଶ୍ରୀ ଗହେଶ ଦିଗାଲ (୨ବର୍ଷର ଶିଶୁ), ୨. ଶ୍ରୀ କୁକାଲ ଦିଗାଲ, ୩. ଶ୍ରୀମତୀ ତିମିରି ମଲ୍ଲିକ, ୪. ଶ୍ରୀମତୀ ବ୍ରିଙ୍ଗୁଲି ମଲ୍ଲିକ, ୫. ଶ୍ରୀମତୀ ମିଡ଼ିଆଲି ମଲ୍ଲିକ।
୩. ଭୁଲ କହିବା/ଲେଖିବା ଦ୍ୱାରା ଇତିହାସ ମଧ୍ୟ ଭୁଲ ହୋଇଯାଉଛି। ସଚେତନ ଭାବରେ ନୃତତ୍ତ୍ୱ(Anthropology) ଓ ସମ୍ବିଧାନ (Constitution) କୁ ଛିଗୁଲେଇ ହେଲା ଭଳି କଥା ଇଏ। ସାମ୍ବାଦିକତା ବି ବିଜ୍ଞାନ ସମ୍ମତ ହେବା ଦରକାର। ଗଣମାଧ୍ୟମ ବିଭ୍ରାନ୍ତ ହେଲେ, ଗଣ ବି ବିଭ୍ରାନ୍ତ ହେବେ। ଏପରିକି ସାହିତ୍ୟ ଦ୍ୱାରା ବି ପ୍ରଭାବିତ ହେବା କଥା ନୁହେଁ ସାମ୍ବାଦିକତା। ଯେମିତିକି ସାହିତ୍ୟ ଓ ସିନେମା କହୁଛି ‘‘ସବୁ ରକ୍ତର ରଙ୍ଗ ଲାଲ୍’’। କିନ୍ତୁ ବିଜ୍ଞାନ କହୁଛି, ‘‘ସବୁ ରକ୍ତ ସମାନ ନୁହେଁ। ଏହାର ଭଳିକି ଭଳି ପ୍ରକାରଭେଦ ତଥା ସାମୟିକ ତଫାତ୍ ରହିଛି।’’ ଯଦି ସବୁ ମଣିଷ ସମାନ ହୋଇଥାଅାନ୍ତେ, ତେବେ ଆାର୍ଯ୍ୟ-ଦ୍ରାବିଡ଼-ଦଳିତ୍-ଆଦିବାସୀ ଭେଦ ରହି ନଥାଅାନ୍ତା ଯୁଗ ଯୁଗ ଧରି ବୈଜ୍ଞାନିକ ଯୁକ୍ତି ଦ୍ୱାରା ସାବ୍ୟସ୍ତ ହୋଇ।
୪. ବରଗଡ଼ ଆକ୍ରମଣ ଶୁକ୍ରବାର ମଧ୍ୟାହ୍ଣରେ ହୋଇଥିବା ବେଳେ ଗୁମୁଡ଼ୁମାହା ଗଣହତ୍ୟା ହୋଇଛି ଶୁକ୍ରବାର ବିଳମ୍ବିତ ସଂଧ୍ୟାରେ ୯ଟା ୩୦ରେ। ତେବେ ଏହା ଶାସକଦଳର ସୁପାରି କିଲିଂ ବୋଲି ଯାହା ଚର୍ଚା ହେଉଛି, ସେଥିରେ ସତ୍ୟତା ଥାଇପାରେ। ‘‘ବରଗଡ଼ ଲଜ୍ଜା’’ରୁ ତୁରନ୍ତ ରାହତ୍ ପାଇବା ପାଇଁ ଶାସକ ବି.ଜ.ଦ. ଏ କାଣ୍ଡ କରିଛି ଏବଂ ଏଥିରେ ସଫଳତା ବି ପାଇଛି। କାରଣ ଆଉ କେହି ବରଗଡ଼ ଆକ୍ରମଣ କଥା କହୁ ନାହାନ୍ତି କି ନ୍ୟାୟ ଦାବି କରୁ ନାହାନ୍ତି। ଏପରିକି ଓଡ଼ିଶା ରାଜ୍ୟ ଭା.ଜ.ପା. ବି ଭୁଲିଯାଇଛି ବରଗଡ଼ ଘଟଣାକୁ। ଆଉ ଗଣମାଧ୍ୟମକୁ ବି ଦରକାର କିଛି ମସଲା, ପ୍ରତିଦିନ ଖବର ବନେଇବାକୁ। ତେଣୁ ଗଣମାଧ୍ୟମ ବି ଭୁଲିଗଲାଣି ଚିଟ୍ ଫଣ୍ଡ୍, କାଷ୍ଟିଙ୍ଗ କାଉଚ୍, ପପୁ ପଁ ପଁ, ବ୍ରହ୍ମବିଭ୍ରାଟ ଅଗଡ଼ବଗଡ଼।
୫. ହେଲେ ‘‘ଗୁମୁଡ଼ୁମାହା ଗଣହତ୍ୟା’’ ଟପି ଯାଇଛି ‘‘ବରଗଡ଼ ଲଜ୍ଜା’’ଠୁ ଅଧିକ ଲଜ୍ଜାଜନକ ହୋଇ, ରାଜ୍ୟ ପାଇଁ ଓ ରାଜ୍ୟର ଶାସକଦଳ ପାଇଁ। ୫ ଲକ୍ଷ ଟଙ୍କିଆ ଅନୁକମ୍ପା ପ୍ୟାକେଜ୍ ଧରେଇ ଦେଇ ରାଜ୍ୟ ସରକାର ଏହାକୁ ରଫାଦଫା କରିଦେବାକୁ ବସିଥିବା ବେଳେ ଦଳିତ୍ ସଂଗଠନ, ଆଦିବାସୀ ସଂଗଠନ, ମାନବାଧିକାର ସଂଗଠନ ଝାମ୍ପି ପଡ଼ିଛନ୍ତି ମଣିଷ ମୁଣ୍ଡର ମୂଲ୍ୟକୁ ନେଇ।
୬. କିଛି ଦିନ ହେଲା ଆଦିବାସୀଙ୍କ ଭୂଅଧିକାର ପ୍ରସଙ୍ଗରେ ବେଶ୍ ଲୋକପ୍ରିୟତା ହାତେଇଥିବା କଂଗ୍ରେସର ଛାମୁଆ ନେତା ପ୍ରଦୀପ ମାଝୀ ପ୍ରଥମ ନେତା ଭାବେ ଏ ଗଣହତ୍ୟା ଉପରେ ନିଜର ପ୍ରତିକ୍ରିୟା ଦେଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ସେ ହିଁ କହିଛନ୍ତି ଯେ ଆଦିବାସୀ ମଣିଷ ମୁଣ୍ଡର ମୂଲ୍ୟ ୫ ଲକ୍ଷ ଟଙ୍କା ନୁହେଁ। କ୍ଷତିଗ୍ରସ୍ତ ପରିବାରର ଜୀବିକା କିଏ ଦେବ? ଏଭଳି ଓଜନଦାର କଥା କହି ସେ ଓଡ଼ିଶାରେ ମୂଲ୍ୟବୋଧ ରାଜନୀତିର ଚାରାରୋପଣ କରିଛନ୍ତି।
୭. ଓଡ଼ିଆରେ କଥା ଅଛି ‘‘ମଲା - ଗଲା’’, ‘‘ଆଜି ମଲେ କାଲିକୁ ଦି’ଦିନ’’। ହେଲେ ଗଣମାଧ୍ୟମବାଲା ଖାଲି ମଲାଲୋକଙ୍କ କଥା କହି ଖବର ବନାଉଛନ୍ତି। ଗୁରୁତର ଆହତମାନଙ୍କ କଥା କହୁ ନାହାନ୍ତି/ ଲେଖୁ ନାହାନ୍ତି। ଗୁରୁତର ଆହତମାନେ ହେଲେ:- ୧.ଶ୍ରୀ ଲୁକା ଦିଗାଲ (ସେଇ ନିଷ୍ପାପ ଶିଶୁର ବାପା), ୨.ଶ୍ରୀମତୀ ସୁନୀତା ଦିଗାଲ (ସେଇ ନିଷ୍ପାପ ଶିଶୁର ମାଆ), ୩.ଶ୍ରୀ ବନମାଳୀ ମଲ୍ଲିକ, ୪.ଶ୍ରୀମତୀ ତେମ୍ବୁ ମଲ୍ଲିକ, ୫.ଶ୍ରୀମତୀ ଗିଡ଼ିଶି ଦିଗାଲ, ୬.ଶ୍ରୀ ସହଳୁ ମଲ୍ଲିକ, ୭.ଶ୍ରୀମତୀ କଜନ୍ତୀ ମଲ୍ଲିକ। ଏମାନଙ୍କ ଅବଶିଷ୍ଟ ଜୀବନ କେମିତି କଟିବ, ଏମାନଙ୍କୁ କିଏ ସାହା ହେବ? କେବଳ ଚିକିତ୍ସା ଖର୍ଚ ସରକାର ବହନ କଲେ, ଏମାନଙ୍କ ପାର୍ଥିବ ଜୀବନ ଉଦ୍ଧାର ହୋଇଯିବ କି?
୮. କିଛି ଟିଭିବାଲା ଚିତ୍କାର କଲେ ଏବେ ସୁଦ୍ଧା ମୁଖ୍ୟମନ୍ତ୍ରୀ ଯାଇନାହାନ୍ତି ଘଟଣାସ୍ଥଳକୁ ତଥା କ୍ଷତିଗ୍ରସ୍ତ ପରିବାରକୁ ସମବେଦନା ଜଣାଇବାକୁ। କିନ୍ତୁ କେହି କହୁନଥିଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ କାହିଁକି ଯାଉ ନାହାନ୍ତି ସମବେଦନା ଜଣାଇବାକୁ। ଘଟଣାର ୮ ଦିନ ପରେ ଯାଇ ମନେ ପଡ଼ିଲା କିଛି ସଚେତନ ନାଗରିକ ନିଜ ପ୍ରତିକ୍ରିୟା ଦେବା ପରେ। ତେବେ ଓଡ଼ିଶାରେ ମୋଗଲବନ୍ଦୀ ଅଞ୍ଚଳରେ ମଧ୍ୟ (ଦକ୍ଷିଣ ଓଡ଼ିଶା କଥା ଛାଡ଼ନ୍ତୁ) ଯେପରି ମହିଳା ସରପଞ୍ଚମାନଙ୍କ ସ୍ୱାମୀମାନଙ୍କୁ ପଞ୍ଚାୟତବାସୀ ସିଧାସଳଖ ଖୋଜନ୍ତି, ଭେଟନ୍ତି ସରପଞ୍ଚ ରୂପରେ, ମହିଳା ସାଂସଦ ବି କ’ଣ ସେଭଳି ନିରିମାଖୀ ସବୁବେଳେ? ହଁ ହୋଇଥିବେ। କାରଣ ଦେଖୁ ନାହାନ୍ତି, ଆଉ ଏକ ସମସାମୟିକ ଘଟଣାରେ ୧୯ ଜଣ ଶିଶୁ ମଲେଣି ଅପପୁଷ୍ଟିର ଶିକାର ହୋଇ ଯାଜପୁର ଜିଲ୍ଲା ଚିଙ୍ଗୁଡିପାଳ ପଞ୍ଚାୟତର ଆଦିବାସୀ ଗାଁ ନଗଡ଼ାରେ। ହେଲେ ଯାଜପୁର ସାଂସଦ ରୀତା ତରେଇଙ୍କ ଦେଖା ନାହିଁ।
୯. ପ୍ରାକୃତିକ ବିପର୍ଯ୍ୟୟ ମହାବାତ୍ୟା-୧୯୯୯ ପରେ ସର୍ବାଧିକ ଜନହାନି ହୋଇଥିବା ଏରସମା ବ୍ଲକ୍, ଦୂରବର୍ତ୍ତୀ ଜନତାଙ୍କ ପାଇଁ ଏକ ତୀର୍ଥକ୍ଷେତ୍ର ପାଲଟିଯାଇଥିଲା। ଏବେ ସେମିତି ଗଣମାଧ୍ୟମ ପ୍ରତିନିଧି, ମାନବାଧିକାର କର୍ମୀ, ରାଜନେତା ଓ ବିଭିନ୍ନ ସତ୍ୟାନୁସନ୍ଧାନକାରୀ ଦଳ ଛୁଟିଛନ୍ତି ଗୁମୁଡ଼ୁମାହା ଅଭିମୁଖେ। କିନ୍ତୁ ଖୁବ୍ କମ୍ ସେମିତି ବ୍ୟକ୍ତି ଯାଉଛନ୍ତି କଟକ ବା ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ; ଯେଉଁଠି ଚିକିତ୍ସାଧୀନ ଅଛନ୍ତି ଗୁରୁତର ଆହତମାନେ। ସେମାନେ ହିଁ କହିପାରିବେ, ସେଇ କାଳରାତ୍ରୀର ସବୁ ସତକଥା। ଅଥଚ ଏ ବାସ୍ତବତା ପ୍ରତି କାହାର ନିଘା ନାହିଁ।
୧୦. ଅନ୍ୟ କିଛି କଥା ଶୁଣିବାକୁ ମିଳୁଛି - ଭା.ଜ.ପା. ଉପରେ ଖପ୍ପା ହୋଇଯାଇଛନ୍ତି ନବୀନ ବାବୁ। ସେ ଜାଣନ୍ତି ଯେ ଆଗାମୀ ନିର୍ବାଚନରେ ହଜାର ହଜାର କୋଟି ଟଙ୍କା ଫୋପାଡ଼ି ମଧ୍ୟ ବିଜେଡି କ୍ଷମତା ଦଖଲ କରିବା ମୁସ୍କିଲ ହୋଇପଡ଼ିବ। ହୁଏତ ନିର୍ବାଚନ ପୂର୍ବରୁ ମେଣ୍ଟ ହେବ, ନଚେତ୍ ନିର୍ବାଚନ ପରେ ଘୋଡ଼ା ବେପାର କରିବାକୁ ହେବ। କିନ୍ତୁ କୌଣସି ପରିସ୍ଥିତିରେ ବି ଭାଜପା ଓଡ଼ିଶାରେ ଗାଦି ଦଖଲ କରୁ, ଏହା ଚାହୁନାହାନ୍ତି ସେ। ଏଣେ ସୋନିଆ ଗାନ୍ଧୀଙ୍କ ସହ ନବୀନ ବାବୁଙ୍କର ବ୍ୟକ୍ତିଗତ ସୁସଂପର୍କ ଥିବାରୁ ଏଇ ଅବଧି ପରେ ଯଦି କେହି କ୍ଷମତାକୁ ଆସିବ, ତେବେ ତାହା କଂଗ୍ରେସ୍ ହେଉ ବୋଲି ନବୀନ ଚାହୁଛନ୍ତି। କଂଗ୍ରେସର ବଡ଼ ବଳ ହେଉଛି ଦଳିତ୍ ଓ ଆଦିବାସୀ ଭୋଟ୍। ତେଣୁ ଗୋଟିଏ ଗୁଳିରେ ଦୁଇଟି ଶିକାର ଭଳି ବରଗଡ଼ ଲଜ୍ଜାରୁ ଓଡ଼ିଶାବାସୀଙ୍କ ମୁହଁ ଫେରାଇବା ସହ କଂଗ୍ରେସକୁ ରାଜ୍ୟରେ ମାଇଲେଜ୍ ଦେବାକୁ ଏତେ ଫିକର କରାଯାଇଛି। ଅବଶ୍ୟ ପ୍ରଦେଶ କଂଗ୍ରେସ ଯେପରି ଅଭିଯୋଗ କରି ଆସୁଛି ବିଜଦ-ଭାଜପା ଭିତରେ ଭିତିରି ବୁଝାମଣା ଅଛି, ଏବେ ରାଜ୍ୟ ଭା.ଜ.ପା. ସେଇ ସମପ୍ରକାର ଅଭିଯୋଗ କରିବାକୁ ଆଦୌ ଭାବି ନାହିଁ।
୧୧. ଅନ୍ୟ ପକ୍ଷରେ ଗଣହତ୍ୟା ଦ୍ଵାରା ବରଗଡ଼ ଲଜ୍ଜାରୁ ଲୋକଙ୍କ ମୁହଁ ଫେରାଇବା ପାଇଁ କନ୍ଧମାଳ ବଢ଼ିଆ ଜାଗା। ଏହା ଦ୍ଵାରା କୌଣସି ପଡ଼ୋଶୀ ଜିଲ୍ଲାବାସୀଙ୍କ ଭୋଟ ପ୍ରଭାବିତ ହେବ ନାହିଁ। ଶ୍ରମିକ ନେତାଙ୍କୁ ଖୁସୀ କଲା ଭଳି ଜନଜାତି ବା ଦଳିତ୍ ନେତାଙ୍କୁ ଖୁସୀ କରିବାର ସୂତ୍ର ବିଜଦକୁ ବେଶ୍ ଜଣା ଅଛି। ତେଣୁ ମାଓବାଦୀ ପ୍ରବଣ କନ୍ଧମାଳକୁ ଚୟନ କରାଗଲା, ଏପରି ଏକ କାଣ୍ଡ ଭିଆଇବା ପାଇଁ।
୧୨. ଆଜିକାଲି ଆଇନଜୀବୀମାନେ ବି ମାନବବାଦୀ ହୋଇଗଲେଣି। ସମସ୍ତଙ୍କୁ ପାପର ଭୟ। କେହି ଡାହା ମିଛ ଲେଖି ପାପରେ ଭାଗୀ ହେବାକୁ ଚାହୁନାହାନ୍ତି। ତେଣୁ ଯେତେ ଚୋଖା ଆଇନଜୀବୀଙ୍କୁ ପରାମର୍ଶ କରି ଦୋଷ ଛଡ଼ାଇବାର Script ଲେଖିଲେ ବି ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାର ନିଶ୍ଚୟ ଧରା ପଡ଼ିବେ। ଅବଶ୍ୟ କାରସାଦି କରି ନ୍ୟାୟପାଳିକାରେ ମାମଲାକୁ ବିଳମ୍ବିତ କରି ଦେଇ ପାରନ୍ତି। ହେଲେ ଫସିବା ଥୟ।
୧୩. ହୁଏତ ଆପଣମାନେ ଜାଣନ୍ତି ନାହିଁ ଯେ ଆଦିବାସୀଙ୍କୁ ବାଡ଼େଇବାକୁ ଓ ଗୁଳିକରି ମାରିବାକୁ ଆଦିବାସୀମାନଙ୍କୁ ହିଁ ନିଯୁକ୍ତି ଦିଆଯାଇଆସୁଛି। ଥାନାରେ ବସୁଥିବା ପୁଲିସବାଲାମାନେ ମାଓବାଦୀଙ୍କ ସହ ଫାଇଟିଂ କରୁ ନାହାନ୍ତି। ଧରାଧରି କରି ଏମିତି ନିୟମ ବନେଇଛନ୍ତି ଯେ SPO (Spl Police Officer) ନାମରେ ଆଦିବାସୀ ଧାଙ୍ଗ୍ଡ଼ାମାନେ ବଛା ହୋଇ ନିଯୁକ୍ତି ପାଉଛନ୍ତି। ତେଣେ ଆଦିବାସୀଙ୍କ ଆନ୍ଦୋଳନ ମୁଣ୍ଡ ଟେକୁଥିବା ଅଞ୍ଚଳର ଥାନାବାବୁମାନେ ଆଦିବାସୀ ଜନଜାତିର ନିଯୁକ୍ତ କରାଯାଉଛି। ଏହା ଏବେର ନୁହେଁ, ଉତ୍କଳ ଆଲୁମିନା ବିରୋଧରେ ଆନ୍ଦୋଳନ ମୁଣ୍ଡ ଟେକିବା ପରଠୁ ଜନଜାତି ବର୍ଗର ଥାନାବାବୁ ଓ କନେଷ୍ଟବଳମାନଙ୍କୁ ନିଯୁକ୍ତ କରାଯାଉଛି। ମାଓବାଦୀଙ୍କ ବିରୋଧରେ ଲଢ଼େଇ ପାଇଁ ମଧ୍ୟ ସେଇ ସୂତ୍ରର ପ୍ରୟୋଗ ହୋଇଚାଲିଛି।
୧୪. ମାଓବାଦୀ ଦମନ ନାମରେ ବର୍ଷକୁ ଅତି କମ୍ରେ ହଜାରେ କୋଟି ଟଙ୍କା ଖର୍ଚ ହେଉଛି ଓଡ଼ିଶାରେ । ଗତ ୧୨ ବର୍ଷରେ ଯଦି ୧୨ହଜାର କୋଟି ସେପଟେ ଉଡିଥିବ, ସେଇ ଧନକୁ କାମଧନ୍ଦା ପାଉନଥିବା ଆଦିବାସୀ ଯୁବକଙ୍କୁ ବାଣ୍ଟି ଦେଇଥିଲେ, କେତେ ପରିବର୍ତ୍ତନ ହୋଇ ପାରିଥାଆନ୍ତା ଆଦିବାସୀ ଅଞ୍ଚଳରେ। ଭଲ କରି ଚିନ୍ତା କରନ୍ତୁ। ତାହା ହୋଇନଥିବାରୁ ଆନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ ଓ ବଂଗର ମାଓବାଦୀ ନେତାମାନେ ଓଡ଼ିଶା ଭୂଗୋଳକୁ ଖଣ୍ଡଖଣ୍ଡ କରି ବାଣ୍ଟି ନେଇ ଶିବିର ବସାଇ ନକ୍ସଲୀ ବେପାରରେ ଓଡ଼ିଶାର ଆଦିବାସୀ ଯୁବକଯୁବତୀଙ୍କୁ ଢାଲ କରୁନଥାଆନ୍ତେ। ବୋକଚାବୁହା ବା ବୋଲକରା କରି ଭାତଡାଲମା ଖୋଉ ନଥାଆନ୍ତେ। କେନ୍ଦ୍ରୀୟ ଅନୁଦାନ ହାତେଇ ବିଶାଳ ନିର୍ବାଚନ ପାଣ୍ଠି କରିବାକୁ ମାଓବାଦୀ ପ୍ରବଣ ଶବ୍ଦକୁ ଓଡ଼ିଶାର ଯୋଜନା ପ୍ରଣୟନରେ ଏକ ସୂତ୍ର ଭାବେ ନିଆଯାଉଥିବା ଦେଖାଯାଉଛି।
୧୫. ମଜା କଥାଟି ହେଉଛି ବରଗଡ଼ରେ ଯେଉଁ ୧୬ ଜଣ ଗିରଫ ହୋଇ କାରାଗାରରେ ଦିନ କାଟୁଛନ୍ତି, ସେମାନଙ୍କ ପାଖରେ କୌଣସି ଗଣମାଧ୍ୟମ ବା ଟିଭି ଚ୍ୟାନେଲବାଲା ପହଞ୍ଚି ତଥ୍ୟ ଆଣୁ ନାହାନ୍ତି। କାରଣ ବରଗଡ଼ିଆ ଭେଣ୍ଡିଆ ମିଛକୁ ବେଶି ଦିନ ଚାପି ପାରିବେନି। କାରାବାସ ଅସହ୍ୟ ହେଲେ ବା ଠିକ୍ ପରିମାଣରେ କ୍ଷତିପୂରଣ ନପାଇଲେ, ନିଶ୍ଚୟ ମୁହଁ ଖୋଲି ସବୁ ସତ ଗପିଯିବେ। ଯଦି ତାହାକୁ କେହି ଆଗୁଆ ଉଦ୍ଗାରି ଦିଅନ୍ତା, ତେବେ ଦୁଧ୍କା ଦୁଧ୍ ପାନିକା ପାନି ହୋଇଯାଆନ୍ତା।
ଆଉ କ’ଣ ଗୋଟାଏ ଜୋରଦାର ଘଟାଇ ଦେଲେ, ଏହାକୁ ବି ସମସ୍ତେ ଭୁଲିଯିବାକୁ ବେଶି ସମୟ ଲାଗିବନି। କାରଣ ଓଡ଼ିଶା ଲୋକେ ବେଶ୍ ସହଜରେ ଭୁଲିଯାଆନ୍ତି। ବିଜଦର ପରାମର୍ଶଦାତାମାନେ ଏହାକୁ ଭଲ ଭାବେ ଜାଣନ୍ତି। ତେବେ ଓଡ଼ିଶାରେ କଂଗ୍ରେସର ଚେର ଯେମିତି ଦିନକୁ ଦିନ ମଜବୁତ ହେବାରେ ଲାଗିଛି, ତାହା ଭାଜପା ପାଇଁ ଶୁଭଙ୍କର ନୁହେଁ। ତୃଣମୂଳ ସ୍ତରରେ ଭାଜପା ନିଜ ସଂଗଠନ ଓ କର୍ମୀବଳକୁ ବେଳ ହୁଁ ନସଜାଡ଼ିଲେ, କଂଗ୍ରେସ ତା’ର ହୃତ ସଂଗଠନକୁ ପୁନରୁଦ୍ଧାର କରି ସବୁ ମାରିନେବ; ଅଥଚ ହେଇ କରିବା ହେଇ କରିବା କହି ୨୦୧୮ ମସିହା ଟପିଯିବ ସିନା ଓଡ଼ିଶାରେ ମୋଦୀ ଲହର ଖେଳିବନି କି ପଦ୍ମଦଳିଆଙ୍କ ମୁଠାକୁ କ୍ଷମତା ଆସିବନି!
कोई टिप्पणी नहीं:
एक टिप्पणी भेजें