07 जुलाई 2016

ବାଂଲାଦେଶରେ ଜଗନ୍ନାଥ ବିଶ୍ୱବିଦ୍ୟାଳୟ

ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ରଥଯାତ୍ରା ବେଳେ ‘‘ବାଂଲାଦେଶ ପଟୁ ଆତଙ୍କବାଦୀ ଆକ୍ରମଣ ଅାଶଙ୍କା’’ ଖବର ପଢ଼ିବା ପରେ ବାଂଲାଦେଶ ବିଷୟରେ କିଛି କଥା କହିବାକୁ ଇଚ୍ଛା ହେଲା। ମୁସଲମାନବହୁଳ ଏହି ଦେଶର ଲୋକମାନେ ପ୍ରଥମେ ବଙ୍ଗାଳୀ, ପରେ ନିଜନିଜ ଧର୍ମର। ଅାଉ ବଙ୍ଗାଳୀମାନେ ଭାରୀ ସଂସ୍କୃତି ପ୍ରେମୀ। ଜଗନ୍ନାଥଙ୍କୁ ଭକ୍ତି କରୁଥିବା ଅସଲି ଭକ୍ତମାନେ ବାଂଲାଦେଶରେ ହଜାର ହଜାର ସଂଖ୍ୟାରେ ଏବେ ବି ଅଛନ୍ତି। ସେଇଥିପାଇଁ ରଥଯାତ୍ରା ଦିନ ରେଡ଼ିଓ ବାଂଲାଦେଶର ବିଭିନ୍ନ ବେତାର କେନ୍ଦ୍ରରୁ ପ୍ରଚାର ହୁଏ ଜଗନ୍ନାଥ ପୁରୀ ରଥଯାତ୍ରା ପ୍ରକରଣର ବିସ୍ତୃତ ବିବରଣୀ। କିନ୍ତୁ ଭାରତରେ ଆକାଶବାଣୀ(All India Radio)ରେ ସେଭଳି କିଛି କାର୍ଯ୍ୟକ୍ରମ ସେଦିନ ପ୍ରଚାର ହୋଇଥାଏ କି ? ସମ୍ଭବତଃ ନୁହେଁ। ନିରସ ଧାରାବିବରଣୀ ପ୍ରସାରଣ କଥା କହି ଭ୍ରମରେ ପକାନ୍ତୁନି।

ମହାପ୍ରଭୁଙ୍କ ନାମରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ(श्री जगन्नाथ संस्कृत विश्वविद्यालय) ପ୍ରତିଷ୍ଠିତ ହୋଇଛି ୭ ଜୁଲାଇ ୧୯୮୧ରେ ପୁରୀରେ। ଏହି ବିଶ୍ୱବିଦ୍ୟାଳୟ ନିଜର ସଂକ୍ଷିପ୍ତ ନାମ SJSV ଲେଖୁଛି। ଏହି ବିଶ୍ୱବିଦ୍ୟାଳୟର ଶିକ୍ଷାଦାନ ମାଧ୍ୟମ ସଂସ୍କୃତ ଏବଂ ବିଭିନ୍ନ ବିଷୟଗୁଡ଼ିକ ଧର୍ମଶାସ୍ତ୍ର ଆଧାରିତ।


ତେଣେ ରାଜସ୍ଥାନ ସରକାର ବିଧାନସଭାରେ ଏକ ରାଜ୍ୟ ଅାଇନ ବଳରେ JaganNath University ୨୦୦୮ରେ ଜୟପୁରରେ ପ୍ରତିଷ୍ଠା ପାଇଁ ସ୍ୱୀକୃତି ଦେଇଛନ୍ତି। ଏହାର ଶିକ୍ଷାଦାନ ମାଧ୍ୟମ ଇଂଲିଶ‌୍ ଓ ହିନ୍ଦୀ। ହରିୟାଣା ସରକାର ମଧ୍ୟ ସେହି ଭଳି ଏକ ରାଜ୍ୟ ବିଶ୍ୱବିଦ୍ୟାଳୟକୁ ବିଧାନସଭାରେ ଅଧିନିୟମ ପ୍ରଣୟନ ଦ୍ୱାରା ସ୍ୱୀକୃତି ଦେଇଛନ୍ତି ୨୦୧୩ରେ, ଯାହାର ନାମ ରହିଛି ସେହି JaganNath University ଏବଂ ଏହା ଅବସ୍ଥିତି ଦିଲ୍ଲୀ NCR ଭିତରେ ବାହାଦୂରଗଡ଼ - ଝାଝର ରୋଡ଼ରେ। ଏହାର ଶିକ୍ଷାଦାନ ମାଧ୍ୟମ ଇଂଲିଶ‌୍ ଓ ହିନ୍ଦୀ। ଏହି ଉଭୟ ବିଶ୍ୱବିଦ୍ୟାଳୟ ନିଜର ସଂକ୍ଷିପ୍ତ ନାମ JNU ଲେଖୁଛନ୍ତି। ଉଭୟ ବିଶ୍ୱବିଦ୍ୟାଳୟର ପ୍ରତୀକ (logo) ସମାନ ହୋଇଥିବାରୁ ଉଭୟର ମାଲିକାନା ଜଣକ ହାତରେ ରହିଛି ବୋଲି ଜଣାପଡ଼ିଯାଉଛି। ତଥ୍ୟାଭିଜ୍ଞ ମହଲରୁ ଜଣାପଡ଼େ ଯେ ଜଗନ୍ ନାଥ ଗୁପ୍ତା ନାମକ ଜଣେ ବିଶିଷ୍ଟ ଶିଳ୍ପପତିଙ୍କ ନାମରେ ହିଁ ଉଭୟ ବିଶ୍ୱବିଦ୍ୟାଳୟ ଗଢ଼ିଉଉଠିଛି ରାଜସ୍ଥାନ ଓ ହରିଆଣାରେ। ଏକ ବ୍ୟବସାୟୀ ପରିବାରରେ ଜନ୍ମିତ ଜଣେ କୋଟିପତିଙ୍କ ନାମକୁ ବେଶ୍ ଚମତ୍କାର ଭାବରେ ପ୍ରୟୋଗ କରି ପିତୃଦତ୍ତ ନାମର ସାର୍ଥକତା ପ୍ରତିପାଦନ କରାଯାଇଛି। ଏଠାରେ ସ୍ପଷ୍ଟ ଯେ ପୁରୀ ଭିନ୍ନ ଦେଶର ଅନ୍ୟ ଦୁଇଟି ଜଗନ୍ ନାଥ ବିଶ୍ୱବିଦ୍ୟାଳୟ, ଜଗନ୍ନାଥଙ୍କ ନାମରେ ଗଢ଼ା ହୋଇ ନାହିଁ। [ଏହି ବ୍ଲଗ୍ ପଢ଼ିବା ବେଳେ ସଂପୃକ୍ତ ବିଶ୍ୱବିଦ୍ୟାଳୟ ନାମ (ତଳଗାର ଟଣା ହୋଇଥିବା) ଉପରେ କ୍ଲିକ୍ କରି ତହିଁର ୱେବସାଇଟକୁ ଯାଇ ଅଧିକ ଜାଣି ପାରିବେ।]


ହେଲେ ଇସଲାମିକ୍ ଦେଶ ବାଙ୍ଗଲାଦେଶ ସମ୍ମାନର ସହ ଇତିହାସକୁ ସମ୍ମାନ ଦେଇ ଏକ ସଂସଦୀୟ ଆଇନ ପ୍ରଣୟନ କରି ୨୦୦୫ରେ ପ୍ରତିଷ୍ଠା କରିଛି ଜଗନ୍ନାଥ ବିଶ୍ୱବିଦ୍ୟାଳୟ (Jagannath University)। ଇତିହାସରୁ ଜଣାପଡେ ଯେ ୧୮୫୮ରେ ପ୍ରଭାତୀଚରଣ ରୟ, ଅନନ୍ତବଂଧୁ ମଲ୍ଲିକ ଓ ବ୍ରଜସୁନ୍ଦର କଇତ୍ରଙ୍କ ଉଦ୍ୟମରେ ପ୍ରତିଷ୍ଠିତ ହେଲା ଢାକା ବ୍ରାହ୍ମ ସ୍କୁଲ୍। ଏହାକୁ ମାଣିକଗଂଜର ଜଣେ ଜମିଦାର କିଶୋରୀଲାଲ ଚୌଧୁରୀ୧୮୭୨ରେ ଅଧିଗ୍ରହଣ କରିବା ପରେ ଜଗନ୍ନାଥ ସ୍କୁଲ ନାମ ଦେଇଥିଲେ । ସମୟ କ୍ରମେ ଇଣ୍ଟରମିଡ଼ିଏଟ‌୍ କଲେଜ - ଡିଗ୍ରୀ କଲେଜର ରୂପ ନେଇଥିଲା। ୧୯୧୦ରେ ଟାଙ୍ଗାଇଲର ଜଣେ ଜମିଦାର ରାଜା ମନ୍ମଥ ରୟ ଚୌଧୁରୀ, ପ୍ରମଥ-ମନ୍ମଥ କଲେଜ୍ ଅଫ‌୍ ଟାଙ୍ଗାଇଲ ସହ ଜଗନ୍ନାଥ କଲେଜର ଅଧିସ୍ୱୀକୃତି ପାଇଲେ। ୧୯୨୧ରେ ୟୁନିଭର୍ସିଟି ଅଫ୍ ଢାକା ଖୋଲିବାରୁ ଏହାର ଡିଗ୍ରୀ ଶ୍ରେଣୀ ବନ୍ଦ ହୋଇଗଲା ଏବଂ ଏହାର ନାମ ହେଲା ଜଗନ୍ନାଥ ଇଣ୍ଟରମିଡ଼ିଏଟ‌୍ କଲେଜ୍। ତେବେ ୨୮ ବର୍ଷ ପରେ ୧୯୪୯ ମସିହାରେ ଏହା ପୁଣି ଡିଗ୍ରୀ କଲେଜର ରୂପ ନେଲା। ୧୯୬୮ରେ ଏହାକୁ ସରକାର ହାତକୁ ନେଲେ। ୧୯୮୨ରେ ଏହା ଏକ ସ୍ନାତକୋତ୍ତର କଲେଜରେ ପରିଣତ ହେଲା। ଶେଷରେ ବାଂଲାଦେଶ ଜାତୀୟ ସଂସଦରେ ୨୦୦୫ରେ ‘‘ଜଗନ୍ନାଥ ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୦୫’’ ବଳରେ ଗଢ଼ିଉଠିଲା ଜଗନ୍ନାଥ ବିଶ୍ୱବିଦ୍ୟାଳୟ (Jagannath University)। ବାଂଲା ଉଚ୍ଚାରଣ ଅନୁସାରେ Jogonnath Bishobiddaloe (জগন্নাথ বিশ্ববিদ্যালয়)। ଢାକାର ସଦରଘାଟ ଅଞ୍ଚଳରେ ଥିବା ଏହି ବିଶ୍ୱବିଦ୍ୟାଳୟ ଏକ ପରିପୂର୍ଣ ଓ ପୂର୍ଣାଙ୍ଗ ଅନୁଷ୍ଠାନ। ଏବେ ସୁଦ୍ଧା କାର୍ଯ୍ୟ କରିଥିବା ୪ଜଣ ଯାକ Vice Chancellor ହେଉଛନ୍ତି ମୁସଲମାନ।

ରେଡ଼ିଓ ବାଂଲାଦେଶ ବା ସେହି ଦେଶର ଜାତୀୟ ଟେଲଭିଜନ ଚ୍ୟାନେଲ  BTVରେ ଶ୍ରୀ ଜଗନ୍ନାଥ ଚର୍ଚା ଶୁଣିଲେ କେହି ବି ପ୍ରଗଳ୍ଭ ହୋଇଉଠିବେ। ଅାଶ୍ଚର୍ଯ୍ୟ ବି ହେବେ। ଯଦିଚ, ତଥ୍ୟସବୁ ହିନ୍ଦୁ ଭକ୍ତମାନଙ୍କର, ତେବେ କାର୍ଯ୍ୟକ୍ରମ ସବୁକୁ ଭାବମୟ କରିବାରେ ମୁସଲମାନ ଟେକନିସିଆନମାନେ କାମ କରିଥାଅାନ୍ତି।

୨୦୧୫ରେ ପ୍ରସାର ଭାରତୀ ଘୋଷଣା କରିଥିଲା BTVର ତିନିଟି ଚ୍ୟାନେଲକୁ ଯୋଡ଼ିବ DD Free Dish DTHରେ। କିନ୍ତୁ ସେପରି କିଛି କଲା ନାହିଁ। ଏହା ହେଉଛି ଭାରତ ସରକାରଙ୍କ ବଡ଼ଭାଇପଣିଆର ନମୁନା ଏବଂ ପଡ଼ୋଶୀ ରାଷ୍ଟ୍ର ସହ କୂଟନୈତିକ ସଂପର୍କର ରୂପରେଖ। ତେବେ ବାଂଲାଦେଶର ଜନସଂଖ୍ୟା ବିସ୍ଫୋରଣ ଯୋଗୁ ପେଟପାଟଣା ପାଇଁ ଲକ୍ଷ ଲକ୍ଷ ବାଂଲାଦେଶୀ ଆସି ଓଡ଼ିଶାରେ ଓ ସାରା ଦେଶରେ ବସ୍ତି ଓ ଗାଅାଁ ବସେଇଛନ୍ତି। ଅନେକ ବସ୍ତିର ନାମ ଦେଇଛନ୍ତି ଆଜାଦ୍ ବସ୍ତି। ଆବେଗ ଓ ଆକ୍ରମଣ ଭିତରେ ତଫାତ୍ ବୁଝିବା ଦରକାର। ଆମଦେଶର ଗୁଇନ୍ଦା ସଂସ୍ଥାମାନେ ବୁଝୁନାହାନ୍ତି ସାମାଜିକ-ମାନବିକ-ମନୋବୈଜ୍ଞାନିକ ମୂଲ୍ୟବୋଧର ମହତ୍ତ୍ୱ। ସେଇଥିପାଇଁ ହଜାର ହଜାର ବର୍ଷ ଧରି ଚୀନ୍ ପାଇଁ ଭାରତୀୟମାନେ ହୋଇ ରହିଛନ୍ତି ଅବୋଧ୍ୟ ପ୍ରାଣୀ। ଅାଉ ଭାରତ ସରକାର ଭାବୁଛି, ପଡ଼ୋଶୀ ରାଷ୍ଟ୍ର ନୁହେଁ, ବରଂ ଆମେରିକା ହିଁ ସମଗ୍ର ବିଶ୍ୱ। ସେହି ଭଳି ବାଂଲାଦେଶ ସହ ସଂପର୍କର ପରିଭାଷା କ’ଣ ହେବ, ତାହା ମୋଟେ ସ୍ଥିର ହୋଇପାରୁ ନାହିଁ।

कोई टिप्पणी नहीं:

एक टिप्पणी भेजें