26 जुलाई 2016

ନିଦ ହଜେଇଛି ଖାଦ୍ୟ ସୁରକ୍ଷା ଖାଉଟିକାର୍ଡ଼

ଲୋକଙ୍କ ନିଦ ହଜେଇ ଦେଇଛି, ଖାଦ୍ୟ ଅଧିକାର ପଡ଼ିକାର୍ଡ଼। ୮-୯ ମାସ ତଳେ ଏଇ କାର୍ଡ଼ ପାଇଁ ଥିଲାବାଲା ନଥିଲାବାଲା ସମସ୍ତେ ଦୌଡ଼ରେ ସାମିଲ ହୋଇଯାଇଥ‌ିଲେ। ଏବେ ସେଇ କାର୍ଡ଼ ଫେରାଇବା ପାଇଁ ଉପାୟ ଖୋଜା ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ୯ଟି ମାନଦଣ୍ଡ ଘୋଷଣା କରିବା ପରେ ମଧ୍ୟ ବହୁ ସରକାରୀ କର୍ମଚାରୀ ପଡ଼ିକାର୍ଡ଼ ହାତେଇ ନେଇଛନ୍ତି। କାର୍ଡ଼ ଫେରାଇବାର ଶେଷ ତାରିଖ ଥିଲା ୧୫ ଜାନୁଆରି ୨୦୧୬। କିନ୍ତୁ ଯେମିତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆଶା କରାଯାଉଥିଲା, ସେମିତି ହୋଇ ନଥିଲା। ବରଂ ଯେଉଁମାନେ କାର୍ଡ଼ ନେଇ ନଥିଲେ, ସେମାନଙ୍କର କାର୍ଡ ଆପେ ବାତିଲ ହୋଇଯାଇଥିଲା। ଜାନୁଆରି ୧୫ରୁ ଜୁନ୍ ୧୫ - ଏଇ ୬ ମାସ ଭିତରେ କେତେକ ବ୍ଲକ‌୍‌ରେ ବିଡିଓଙ୍କ ନେତୃତ୍ୱରେ ଯାଞ୍ଚ ଆରମ୍ଭ ହୁଅନ୍ତେ, ଯାହା ଯାହା ଘଟିଲାଣି ଆପଣମାନେ ଭଲ ଭାବେ ଜାଣନ୍ତି। ଗିରଫଦାରି ଓ ଟଙ୍କା ଫେରସ୍ତ ଘଟଣା ପରେ ଖାଦ୍ୟ ସୁରକ୍ଷା ଆଇନର ମାନଦଣ୍ଡକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ଉପରେ ଜନତାଙ୍କ ମତ ଜାଣିବା ପାଇଁ ‘ସମ୍ବାଦ’-ବାଲେଶ୍ୱର, ଉତ୍ତର ଓଡ଼ିଶାରେ ଏକ ସର୍ବେକ୍ଷଣ କରିଥିଲା ଏଇ ଜୁଲାଇ ୨୦୧୬ ତୃତୀୟ ସପ୍ତାହରେ। ଉତ୍ତର ଓଡ଼ିଶାର ଜନତାଙ୍କ ମତାମତଗୁଡ଼ିକର ସିଧାସଳଖ ନିର୍ଯ୍ୟାସ ତଳେ ଦେଲୁ। ଆଶା କରୁ ବିଭିନ୍ନ ସାମାଜିକ ସଂଗଠନ, ମାନବାଧିକାର ସଂଗଠନ, ଗବେଷଣାକାରୀ ଅନୁଷ୍ଠାନ ତଥା ଚାପଗୋଷ୍ଠୀମାନଙ୍କ ପାଇଁ ଏହା ଉପାଦେୟ ହେବ:-

ମାସିକ ଆୟ ସହରାଞ୍ଚଳରେ ୧୫ ହଜାର ଟଙ୍କା ଏବଂ ଗ୍ରାମାଞ୍ଚଳରେ ୧୦ ହଜାର ଟଙ୍କାରୁ ବେଶି ହୋଇଥିଲେ ସଂପୃକ୍ତ ପରିବାର ବାଦ‌୍ ପଡ଼ିବେ। ଯଦି ତିନି କିମ୍ବା ଅଧିକ କୋଠରିବିଶିଷ୍ଟ ପକ୍କାଘର - ପକ୍କା କାନ୍ଥ ଓ ପକ୍କା ଛାତ ରହିଥିବ, ବାଦ୍‌ ପଡ଼ିବେ। ଏମିତି ୯ଟି ମାନଦଣ୍ଡରୁ ଯଦି ଗୋଟିଏରେ ଆସିଯାଆନ୍ତି, ତେବେ ଖାଦ୍ୟ ସୁରକ୍ଷାରୁ ବାଦ୍ ପଡ଼ିବେ। ଯଦି ଏକ ପରିବାରର ୧ଶହ ବର୍ଷର ପୁରୁଣା ପକ୍କାଘର ରହିଛି। ଅଥଚ ଏବେର ସଦସ୍ୟଙ୍କ ରୋଜଗାର ଶୂନ। କୋଠା ମରାମତି ପାଇଁ ଅର୍ଥ ନାହିଁ।  ୩ ବଖରା ପକ୍କାଘର କଟକଣାରେ ତାଙ୍କ କାର୍ଡ଼ କଟୁଛି କିମ୍ବା ତାଙ୍କୁ ଗିରଫ କରାଯାଉଛି। ବହୁଲୋକ ଜୀବନଯାକର ପୁଞ୍ଜିକୁ ଖଟାଇ ଘରଖଣ୍ଡିଏ ତୋଳୁଛନ୍ତି। ତେଣୁ ଏ କଟକଣା ନିରପେକ୍ଷ ନୁହେଁ।

ଖାଦ୍ୟ ଅଧିକାର ପଡ଼ିକାର୍ଡ଼ ପାଇଁ ଥିବା ମାନଦଣ୍ଡ ବିଷୟରେ ସାଧାରଣ ଜନତା ଅବଗତ ନୁହନ୍ତି। ସର୍ଭେକାରୀଙ୍କ ତ୍ରୁଟି ଯୋଗୁ ଏ ବିଭ୍ରାଟ ହୋଇଛି। ତେଣୁ ସେହି ସର୍ଭେକାରୀଙ୍କୁ ଦଣ୍ଡିତ କରାଯାଉ। ରେସନକାର୍ଡ଼ କେଳେଙ୍କାରୀ ପାଇଁ ଶାସନ କଳ ଓ ଶାସକ ଦଳ ଦାୟୀ। ପ୍ରଶାସନ ଠିକ‌୍‌ ଭାବରେ ତଦାରଖ ନକରିବାରୁ ଅଯୋଗ୍ୟ ପରିବାର କାର୍ଡ଼ ପାଇଛନ୍ତି ଏବଂ ଯୋଗ୍ୟ ପରିବାର ବାଦ୍ ପଡ଼ିଛନ୍ତି। ପ୍ରଥମ ପର୍ଯ୍ୟାୟ ସର୍ଭେର ତ୍ରୁଟିକୁ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ସରକାରୀ କର୍ମଚାରୀମାନେ ସୁଧାରି ନାହାନ୍ତି। ତେଣୁ ଏବେ ବି ମାନଦଣ୍ଡରେ ବାଦ୍ ପଡୁଥିବା ଅନେକ ପରିବାର ଖାଦ୍ୟ ଅଧିକାରର ହିତ ଭୋଗ କରୁଛନ୍ତି। ସବିଶେଷ ତଥ୍ୟ ଯାଞ୍ଚ ନକରି ଏବେ ହିତାଧିକାରୀଙ୍କୁ ଯେପରି ଦଣ୍ଡିତ କରାଯାଉଛି, ସରକାରୀ କର୍ମଚାରୀଙ୍କୁ ମଧ୍ୟ ସେଭଳି ଦଣ୍ଡିତ କରାଯାଉ। କାର୍ଡ଼ ଇସ୍ୟୁ କଲାବେଳେ ସରକାରୀ ମାନଦଣ୍ଡକୁ ବିଚାର ନକରି ପ୍ରଶାସନ କେଉଁଠି ଶୋଇଥିଲା ୬ ମାସ ଯାଏଁ। ଏବେ ନିରୀହ ଲୋକଙ୍କୁ ହଇରାଣ କରିବାଟା କ’ଣ ଏକ ସଭ୍ୟ ଆଚରଣ?

ରେସନକାର୍ଡ଼ ଦୁର୍ନୀତି ପାଇଁ ସରକାର ୭୫% ଦାୟୀ। ୨୫% ଦାୟୀ ଜନତା। ଲୋକେ ଜାଣିଛନ୍ତି ନିଜେ ଯୋଗ୍ୟ କି ଅଯୋଗ୍ୟ। ଅତ୍ୟଧିକ ଲୋଭ, ମାଗଣା ପାଇବାର ପ୍ରବୃତ୍ତି ଓ ଭୋଟ୍‌ ରାଜନୀତି ପାଇଁ ଏମିତି ପରିବେଶ ସୃଷ୍ଟି କରିଥିବା ସରକାରୀ କର୍ମଚାରୀ ଓ ରାଜ୍ୟ ସରକାର ଦାୟୀ। ଯେଉଁ ଶାସକଦଳ ନେତାଙ୍କର ଏଥିରେ ସଂପୃକ୍ତି ଅଛି, ସେମାନଙ୍କୁ ଗିରଫ କରାଯାଉ। ପୁଣି ଥରେ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରି କାର୍ଡ଼ ବଣ୍ଟାଯାଉ। ଏହା କରି ନପାରିଲେ ବିଭାଗୀୟ ସଚିବ ଓ ମନ୍ତ୍ରୀ ନିଜ ପଦ ଛାଡ଼ନ୍ତୁ। ରେସନକାର୍ଡ଼ ରାଜ୍ୟ ସରକାରଙ୍କର ଏକ ବଡ଼ ଦୁର୍ନୀତି। ମୟୂରଭଂଜରେ ଗରିବ ଲୋକ ପାଇ ନାହାନ୍ତି, ଧନୀଲୋକ ହାତେଇଛନ୍ତି।

ସରକାରଙ୍କ ଉଦ୍ଦେଶ୍ୟ କେହି ଅନାହାରରେ ମରିବେ ନାହିଁ। ୩ ବଖରା ପକ୍କାଘର କଟକଣା ଯୋଡ଼ିବା ଦ୍ୱାରା ଗରିବ ଲୋକ ବାଦ୍ ପଡ଼ିଛନ୍ତି। ଜମିବାଡ଼ି ବିକ୍ରି କରି, ଇନ୍ଦିରାଆବାସରେ ଯୋଡ଼ି ହୋଇ ଲୋକେ ଘର କରିଛନ୍ତି। ବିଭ୍ରାନ୍ତିକର ନିୟମ ଯୋଗୁ ଆଦୌ ଆୟ ନଥିବା ଲୋକେ ବି ଖାଦ୍ୟ ଅଧିକାରରୁ ବାଦ୍ ପଡ଼ିଛନ୍ତି। ସରକାରୀ କର୍ମଚାରୀ ଓ ଅଧିକାରୀ କାର୍ଡ଼ ପ୍ରସ୍ତୁତ କରିଛନ୍ତି, ଏଣୁ ସାଧାରଣ ଲୋକଙ୍କୁ ଦାୟୀ କରିବା କେତେଦୂର ଯୁକ୍ତିଯୁକ୍ତ?

ରାଜ୍ୟ ସରକାରଙ୍କର ଅରାଜକତା ଚରମ ସୀମାରେ ପହଞ୍ଚିଛି। ଏବେ ସରକାର ପାଗଳ ପରି ହେଉଛି। ‘‘ମାଆକୁ ସମ୍ମାନ, ଗାଆଁକୁ କାମ’’ର ନାରା ଭୁଲି ଚୁଲିମୁଣ୍ଡରୁ ମାଆମାନଙ୍କୁ ଟାଣି ନେଇ ଜେଲ୍ ପଠାଉଛି। ମହିଳାଙ୍କୁ ବାନ୍ଧି ଏ ସରକାର ନିଜ ହାତରେ ହାତକଡ଼ି ପକାଇବା ପାଇଁ ପ୍ରସ୍ତୁତ ହେଉଛି। ପଲ୍ଲୀସଭା ଜରିଆରେ କାର୍ଡ଼ ପ୍ରସ୍ତୁତ କରିଥିଲେ ଆଜି ଏଭଳି ସମସ୍ୟା ହୋଇ ନଥାଆନ୍ତା। ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନି। ଦାୟିତ୍ୱରେ ଥିବା ସରପଞ୍ଚ, ବ୍ଲକ୍ କର୍ମଚାରୀ ଲୋକଙ୍କୁ ସଚେତନ କରାଇ ପାରିଲେନି। ଏଥିରେ ବିଧାୟକଙ୍କ ଭୂମିକା ମଧ୍ୟ ରହିଛି। ସେ ଦଳୀୟ କର୍ମୀଙ୍କୁ ଡକାଇ ଗାଆଁଗଣ୍ଡାରେ ଲୋକଙ୍କୁ ସରକାରୀ ନିୟମ ଉପରେ ବୁଝାଇବାକୁ ନିର୍ଦେଶ ଦେବାର ଥିଲା। ୨୦୧୧ ଜନସୁମାରିକୁ ଭିତ୍ତି କରି ଖାଦ୍ୟ ସୁରକ୍ଷା ଯୋଜନାର ରୂପାୟନ ହୋଇଥ‌ିଲା। ହେଲେ ବାରମ୍ବାର ମାନଦଣ୍ଡ ବଦଳାଇ ମୂଳ ନୀତିକୁ ଏଡ଼ାଇ ଯିବାଟା ଏକ ପ୍ରହସନ। ଏଭଳି ଯୋଜନା ଚଳାଇବା ପାଇଁ ସଚ୍ଚୋଟ ଅଧିକାରୀଙ୍କ ତଦନ୍ତ ନିହାତି ଜରୁରୀ। ଯେଉଁ ସରକାରୀ କର୍ମଚାରୀମାନେ ମାତ୍ର ୫/ ୬ ହଜାର ଟଙ୍କା ମାସିକ ପାଉଣାରେ ଚାକିରି କରିଛନ୍ତି, ସେମାନଙ୍କୁ ଖାଦ୍ୟ ସୁରକ୍ଷା କାର୍ଡ଼ରୁ ବଞ୍ଚିତ କରିବାଟା ଘୋର ଅନ୍ୟାୟ। ଯେଉଁ ଶାସନକଳ ଓ ଶାସକଦଳର ଲୋକେ ହାତଗୁଂଜା ନେଇ ଲୋକଙ୍କୁ କାର୍ଡ଼ କରାଇଥିଲେ, ଏବେ ଧରପଗଡ଼ ବେଳେ ସେଇ ଧଳାହାତୀମାନେ ଖସି ଯାଉଛନ୍ତି। ବଳି ପଡୁଛନ୍ତି ନିରୀହ ଲୋକେ। ଓଲଟି ଜରିମାନା ଦେଇ ମାମଲାରେ ଫସୁଛନ୍ତି ସାଧାରଣ ଜନତା। ଏପରି ଅରାଜକତା ଆଉ ଚଳିବ ନାହିଁ। ଯଦି ଚଳିବ ନିଆଁ ଜଳିବ। ଏହାର ଠିକଣା ଜବାବ ଦେବେ ଲୋକେ ୨୦୧୭ ପଞ୍ଚାୟତ ନିର୍ବାଚନରେ।

ସମସ୍ତଙ୍କୁ କାର୍ଡ଼ ଦେଇଥିଲେ ଦୁର୍ନୀତି ଆଦୌ ହୋଇନଥାଅନ୍ତା। ଉଦାହରଣତଃ ତାମିଲନାଡୁରେ ସମସ୍ତଙ୍କୁ ମାଗଣାରେ ପଡ଼ି ଦିଆଯାଉଛି। ଏପରିକି ଆହାର ଯୋଜନାରେ ମଧ୍ୟ ଖାଦ୍ୟ ମାଗଣାରେ ମିଳୁଛି। ଧନୀ ଗରିବ ସମସ୍ତଙ୍କୁ ଦରକାର ପଡ଼ି ସାମଗ୍ରୀ। ତେଣୁ ପଡ଼ି ସମସ୍ତଙ୍କୁ ମାଗଣାରେ ଦିଆଯିବା ଉଚିତ।

ଖାଦ୍ୟ ଅଧିକାର ବା ଖାଦ୍ୟ ସୁରକ୍ଷା ଉପଭୋକ୍ତାମାନେ ଅସଂଗଠିତ କ୍ଷେତ୍ରର ସଦସ୍ୟ ହୋଇଥିବାରୁ ଆଜି ରାଜ୍ୟ ପ୍ରଶାସନ ଦାଦାଗିରି କରି ଅନେକ କାର୍ଡ଼ଧାରୀଙ୍କୁ ଜେଲ ଜରିମାନାରେ ହଇରାଣ କରୁଛି। ଇତିହାସ ପ୍ରଣେତାମାନେ ଏଭଳି ଅଗାଣତନ୍ତ୍ରିକ କାଣ୍ଡକୁ ଅଣଦେଖା କରିବା ନିଜ କଲମ ପ୍ରତି ଘୋର ଅସମ୍ମାନ ହେବ। ଠିକ୍ ମାଆକୁ ଅସମ୍ମାନ ଭଳି।


ହୁଏତ ଇତିହାସରେ ପଢ଼ିଥିବା ବିଦେଶୀ ଆକ୍ରମଣକାରୀ ଶାସକଙ୍କ କଷଣ ଓ ରାଜତନ୍ତ୍ରୀୟ ଶୋଷଣକୁ ପୂରା ପାଖରୁ ଦେଖିଲେ ଓ ଅଙ୍ଗେ ନିଭାଇଲେ ହଜାର ହଜାର ଓଡ଼ିଆ ପରିବାର। ନା, ଆପଣ କ’ଣ କହୁଛନ୍ତି ଟିକେ କୁହନ୍ତୁନା।

कोई टिप्पणी नहीं:

एक टिप्पणी भेजें