ଠକ ଚିଟ୍ଫଣ୍ଡ୍ ସଂସ୍ଥାମାନଙ୍କ ଠାରୁ ନିଜ ଧନ ଫେରିପାଇବାକୁ ଆଶା ବାଂଧି ବସିଥିବା ଲକ୍ଷଲକ୍ଷ ଜମାକାରୀଙ୍କ ମଧ୍ୟରୁ ଅନେକଙ୍କ ସତ୍ୟପାଠ(Affidavit)କୁ ଚିଟ୍ଫଣ୍ଡ୍ ତଦନ୍ତ ଆୟୋଗ ଗ୍ରହଣ କରି ନାହାନ୍ତି। ଏହା ଜମାକାରୀମାନଙ୍କୁ ଜଣା ନାହିଁ। ଲକ୍ଷାଧିକ ସତ୍ୟପାଠ ଇତି ମଧ୍ୟରେ ନାକଚ ହୋଇ ଗଲାଣି। ସେଗୁଡ଼ିକ ଆଉ ଶୁଣାଣି ପ୍ରକ୍ରିୟାକୁ ଆସିପାରିବ ନାହିଁ। ପ୍ରାଥମିକ ଯାଞ୍ଚ ବେଳେ ତହିଁରୁ ଅନେକ ସତ୍ୟପାଠ, ଆଇନ ଅନୁସାରେ ନାକଚ ହେବାରୁ ମୂଳ ସତ୍ୟପାଠ ବିଡ଼ାରୁ ସେଗୁଡ଼ିକୁ ବାହାର କରି ଦିଆଯାଇଛି। ଆଇନ ଅନୁଯାୟୀ ସତ୍ୟପାଠ ଶ୍ରେଣୀଭୁକ୍ତ ହେଉନଥିବା ବା ଭୁଲ୍ଭଟକା ଥିବା ସତ୍ୟପାଠକୁ ଆୟୋଗ ଗ୍ରହଣ କରିପାରିବେ ନାହିଁ।
ଖାରଜ ହୋଇଯାଇଥିବା କିଛି ସତ୍ୟପାଠରେ ଆବେଦନକାରୀଙ୍କ ଦସ୍ତଖତ ନାହିଁ। ଆଉ କିଛି କେବଳ ସାଦାକାଗଜରେ ୩ଟଙ୍କିଆ ଷ୍ଟାଂପ୍ପେପରରେ ଲେଖାଯାଇଛି, ଅଥଚ ସତ୍ୟପାଠ ହୋଇନାହିଁ। କିଛି ସତ୍ୟପାଠରେ ଠକେଇ ହୋଇଥିବା ଧନର ପରିମାଣ ଲେଖା ନାହିଁ। କେତେକରେ ଚିଟ୍ଫଣ୍ଡ୍ ସଂସ୍ଥାର ନାମ ସୁଦ୍ଧା ନାହିଁ। କିଛି ଆବେଦନକାରୀ ନିଜେ କେତେ ଧନ ବିନିଯୋଗ କରିଛନ୍ତି, ତାହା ଲେଖି ନାହାନ୍ତି। କିନ୍ତୁ ପରିପକ୍ଵତା ପରେ କେତେ ପାଇଥାଆନ୍ତେ, ସେହି ପରିମାଣ ଲେଖିଛନ୍ତି। କିଛି ସତ୍ୟପାଠରେ ଠକେଇ ସଂପର୍କରେ କୌଣସି ବିବରଣୀ ଓ ରେକର୍ଡ଼ ନାହିଁ। କିଛି ସତ୍ୟପାଠରେ ନାମ, ଠିକଣା, ବିବରଣୀ ସୁଦ୍ଧା ଠିକ୍ ଭାବେ ଦିଆଯାଇନାହିଁ।
ଆୟୋଗଙ୍କ ବିଚାର ପ୍ରକ୍ରିୟାରୁ ବାଦ୍ ପଡ଼ିଥିବା ଏହି ଜମାକାରୀମାନେ କିଭଳି ନ୍ୟାୟ ପାଇବେ, କେମିତି ଫେରିପାଇବେ ସେମାନଙ୍କ ଟଙ୍କା, ଏଥିନେଇ ଆଶଙ୍କା ଉପୁଜିଛି। ଚିଟ୍ଫଣ୍ଡ୍ରେ ନିବେଶ କରି ସର୍ବସ୍ଵାନ୍ତ ହୋଇଥିବା ଅନେକ ବ୍ୟକ୍ତି ସତ୍ୟପାଠ ଦାଖଲର ବିଧି ବାବଦରେ ଗୋଟାପଣେ ଅଜ୍ଞ। ସତ୍ୟପାଠ ଦାଖଲର ବିଧିବିଧାନ ଉପରେ ବାରଂବାର ବିଜ୍ଞପ୍ତି ଜାରି ପରେ ମଧ୍ୟ ଅନେକେ ଠିକ୍ ଢଙ୍ଗରେ ତଥ୍ୟ ଦେଇ ନାହାନ୍ତି। ତେଣୁ ଠିକ୍ରେ ସତ୍ୟପାଠ ଦାଖଲ ହୋଇପାରି ନାହିଁ। ଏଭଳି ସ୍ଥିତିରେ ସେମାନଙ୍କ ପାଇଁ ସରକାର ଓ ଆୟୋଗ କି ପ୍ରକାର ନିଷ୍ପତ୍ତି ନେବେ, ତାହା ପ୍ରଶ୍ନବାଚୀ ହୋଇଯାଇଛି।
ଚିଟ୍ଫଣ୍ଡ୍ ତଦନ୍ତ ଆୟୋଗଙ୍କ ପାଖରେ ସତ୍ୟପାଠ ଦାଖଲର ନିର୍ଧାରିତ ସମୟ ଥିଲା ୫ ଅଗଷ୍ଟ ୨୦୧୩ରୁ ୩୧ ଅକ୍ଟୋବର ୨୦୧୩। ଆଉ ଏହି ସମୟ ଭିତରେ ୧୦ ଲକ୍ଷରୁ ଅଧିକ ସତ୍ୟପାଠ ଆସିଥିଲା। ଦାଖଲ ଅବଧି ସରିବା ପରେ ବି ପ୍ରତିଦିନ ସତ୍ୟପାଠ ଆସୁଛି। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଆସିଥିବା ସତ୍ୟପାଠର ଗଣତି ସରିବାକୁ ଯାଉଛି। ସେଗୁଡ଼ିକର କଂପ୍ୟୁଟରୀକରଣ ମଧ୍ୟ ଆରମ୍ଭ ହୋଇଛି। ୫ ଅଗଷ୍ଟ ୨୦୧୩ରୁ ୧୭ ସେପ୍ଟେମ୍ବର ୨୦୧୩ ପର୍ଯ୍ୟନ୍ତ ପ୍ରାୟ ୪ ଲକ୍ଷ ବୈଧ ସତ୍ୟପାଠର କଂପ୍ୟୁଟର ସ୍କାନିଂ ସରିଛି। ଏହା ପରେ ଡାଟା ଏଣ୍ଟ୍ରି ହୋଇ ଜମାକାରୀ ବର୍ଗୀକରଣ, କମ୍ପାନୀ ବର୍ଗୀକରଣ ହେବ ଏବଂ ବିଧିବଦ୍ଧ ଶୁଣାଣି କରାଯିବ। କେବଳ ଅକ୍ଟୋବର ମାସରେ ଡାକରେ ଆସିଥିବା ସତ୍ୟପାଠଗୁଡ଼ିକର ଗଣତି ହେବା ବାକି ରହିଛି। ଆଉ ଏହି ଯାଞ୍ଚ ଓ ଗଣତି ଭିତରେ ହିଁ ଅଯୋଗ୍ୟ ସତ୍ୟପାଠକୁ ବାଦ୍ ଦିଆଯାଇଛି।
ଚିଟ୍ଫଣ୍ଡ୍ ସଂସ୍ଥା ଦ୍ଵାରା ଲକ୍ଷଲକ୍ଷ ଜମାକାରୀ ସର୍ବସ୍ଵାନ୍ତ ହୋଇ ରାଜରାସ୍ତାକୁ ଆସିବା ପରେ ମାମଲାର ବିଚାରବିଭାଗୀୟ ତଦନ୍ତ ପାଇଁ ରାଜ୍ୟ ସରକାର ୨୦୧୩ ଜୁଲାଇରେ ନିଷ୍ପତ୍ତି ନେଇଥିଲେ। ୯ ଜୁଲାଇ ୨୦୧୩ରେ ଜଷ୍ଟିସ୍ ରାଧାକୃଷ୍ଣ ପାତ୍ରଙ୍କ ଅକ୍ଷ୍ୟକ୍ଷତାରେ ରାଜ୍ୟ ସରକାର ବସାଇଥିବା ଚିଟ୍ଫଣ୍ଡ୍ ତଦନ୍ତ ଆୟୋଗ ୫ ଅଗଷ୍ଟ ୨୦୧୩ରୁ କାର୍ଯ୍ୟାରମ୍ଭ କରିଥିଲେ। ଚାରି ପର୍ଯ୍ୟାୟରେ ଏହି ଆୟୋଗ, ସତ୍ୟପାଠ ଦାଖଲର ଅବଧି ବଢ଼ାଇଥିଲେ। ପ୍ରଥମେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସତ୍ୟପାଠ ଦାଖଲ ପାଇଁ ଜମାକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା। ପରେ ଏହି ଅବଧି କ୍ରମେ ସେପ୍ଟେମ୍ବର ୮ ଓ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇଥିଲା। ଶେଷରେ ଡାକଦ୍ଵାରା ସତ୍ୟପାଠ ଗ୍ରହଣ ଅବଧି ୩୧ ଅକ୍ଟୋବର ୨୦୧୩ ପର୍ଯ୍ୟନ୍ତ ବଢ଼ା ଯାଇଥିଲା।
ଜଷ୍ଟିସ୍ ରାଧାକୃଷ୍ଣ ପାତ୍ରଙ୍କ ଅନ୍ତେ ଆୟୋଗର ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା। ୪ ଫେବୃଆରି ୨୦୧୫ରେ ଅଧ୍ୟକ୍ଷ ଦାୟିତ୍ଵ ନେଇଥିବା ଜଷ୍ଟିସ୍ ମଦନମୋହନ ଦାସ କହିଛନ୍ତି ଯେ ଯୋଗ୍ୟ ବିବେଚିତ ସତ୍ୟପାଠଗୁଡ଼ିକର ଏବେ କଂପ୍ୟୁଟରୀକରଣ ଚାଲିଛି। ଖାରଜ ହୋଇଥିବା ସତ୍ୟପାଠର ପୁନଃଯାଞ୍ଚ କରାଯିବ। ଆବଶ୍ୟକ ପଡ଼ିଲେ ସେସବୁର ଦାଖଲକାରୀ/ଜମାକାରୀଙ୍କୁ ତ୍ରୁଟି ସୁଧାରିବା ପାଇଁ ପୁଣି ସୁଯୋଗ ଦିଆଯାଇପାରେ। ତେବେ ଯେଉଁ ସତ୍ୟପାଠରେ ନାମ ନାହିଁ ବା ଠକେଇ ସଂକ୍ରାନ୍ତ ବିବରଣୀ ନାହିଁ, ସେଭଳି ସତ୍ୟପାଠକୁ ଗ୍ରହଣ କରାଯାଇପାରିବ ନାହିଁ। ବାତିଲ ହୋଇଥିବା ସତ୍ୟପାଠର ଜମାକାରୀମାନେ ହୁଏତ ଦ୍ଵିତୀୟ ଥର ଆବେଦନ କରି ଥାଇ ପାରନ୍ତି।
ଖୁବ୍ ଶୀଘ୍ର ଚିଟ୍ ଫଣ୍ଡ୍ ତଦନ୍ତ ଆୟୋଗଙ୍କର ଏକ ସ୍ଵତନ୍ତ୍ର ୱେବ୍ସାଇଟ୍ ଖୋଲାଯିବ। ଏଥିରେ ଆୟୋଗଙ୍କ କାର୍ଯ୍ୟ ବିବରଣୀ, ଜମାକାରୀଙ୍କ ପାଇଁ ସୂଚନା, ବିଜ୍ଞପ୍ତି, ଜମାକାରୀଙ୍କ ନାମ ତାଲିକା, ବିଭିନ୍ନ ଜରୁରୀ ନୋଟିସ୍ ଇତ୍ୟାଦି ପ୍ରକାଶ ପାଇବ। ତେବେ ଏହି ୱେବ୍ସାଇଟ୍ ଓଡ଼ିଆରେ ହେବ କି ଗତାନୁଗତିକ ଭାବେ ଇଂଲିଶ୍ରେ ହେବ, ସେହି ସଂକ୍ରାନ୍ତରେ କୌଣସି ସୂଚନା ମିଳି ନାହିଁ।
(ଏହାର ମୂଳ ରିପୋର୍ଟ ୨୯ ମେ ୨୦୧୫, ଶନିବାରର ପ୍ରମେୟ, ଭୁବନେଶ୍ଵର ସଂସ୍କରଣର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିଲା)
कोई टिप्पणी नहीं:
एक टिप्पणी भेजें